ମୋଟ୍ କରୋନା ପଜିଟିଭ୍ ଚିହ୍ନଟଙ୍କ ସଂଖ୍ୟା ୧୦୬
ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମସି(ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ଜଣେ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ତାଙ୍କର ଘର ଡୁମଡୁମା ଅଞ୍ଚଳରେ ବୋଲି ଜଣାଯାଇଛି। ସେ ଜଣେ ୪୮ ବର୍ଷିୟ ପୁରୁଷ। ସେ ଗଞ୍ଜାମ ଜିଲ୍ଲା ଗସ୍ତ କରିଥିବାର ସୂଚନା ଦିଆଯାଇଛି। ଅନ୍ୟ ଦୁଇଜଣ ହେଲେ ଭୀମପୁରର ୨୭ ବର୍ଷିୟ ଓ ଭରତପୁରର ୩୬ ବର୍ଷିୟ ଯୁବକ କରୋନା ଆକ୍ରାନ୍ତ। ନିକଟରେ ଉଭୟ ଦିଲ୍ଲୀରୁ ଫେରି ଘରୋଇ ସଙ୍ଗରୋଧରେ ଥିଲେ। ବର୍ତ୍ତମାନ ଏମାନଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ ଚାଲିଥିବା ବେଳେ ତାଙ୍କ ଘର ପାଖାପାଖି ଅଞ୍ଚଳ ସାନିଟାଇଜ କରାଯିବା ସହ ଆଖପାଖ ପଡ଼ୋଶୀଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି। ଏବେ ରାଜଧାନୀ ଭୁବନେଶ୍ୱରରେ ମୋଟ୍ କରୋନା ପଜିଟିଭ୍ ଚିହ୍ନଟଙ୍କ ସଂଖ୍ୟା ୧୦୬ରେ ପହଞ୍ଚିଛି। ଏମାନଙ୍କ ଭିତରୁ ୬୦ଜଣ ସୁସ୍ଥ ହୋଇଥିବା ବେଳେ ୪୨ ସକ୍ରିୟ ସଂକ୍ରମିତ ଅଛନ୍ତି।